ଥରେ ମାତା ଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କୁ ପଚାରିଲେ ଯେ କିଭଳି ସ୍ତ୍ରୀକୁ ସନ୍ତାନ ସୁଖ ପ୍ରାପ୍ତ ହୋଇ ନଥାଏ ଏବଂ ଗର୍ଭ ନଷ୍ଟ ହୋଇଯାଏ । ଏହାର ଉତ୍ତରରେ ଭଗବାନ ବିଷ୍ଣୁ କହିଛନ୍ତି ଯେ ବାସ୍ତବରେ ଗର୍ଭରେ ହିଁ କିଛି ସନ୍ତାନଙ୍କ ମୃତ୍ୟୁ ହୋଇଯାଏ । ଏହା ମହିଳାଙ୍କ ଦ୍ୱାରା କରାଯାଇଥିବା ପାପ ଦ୍ୱାରା ହିଁ ହୋଇଥାଏ । ଏହାପରେ ଭଗବାନ ବିଷ୍ଣୁ ମାତା ଲକ୍ଷ୍ମୀଙ୍କୁ ଏକ ପ୍ରାଚୀନ କଥା ଶୁଣାଇଛନ୍ତି । କାହାଣୀ ଅନୁଯାୟୀ ପୂର୍ବ କାଳରେ ମଧ୍ୟ ଦେଶରେ ରେବନ୍ତ ନାମକ ଜଣେ ସେଠ ରହୁଥିଲେ । ତାଙ୍କର ଏକ ମାତ୍ର ପୁତ୍ରୀ ରେବତୀର ବିବାହ ବୟସ ହେବା ପରେ ତାଙ୍କୁ ଅନ୍ୟ ନଗରର ଜଣେ ବୈଶ୍ୟଙ୍କ ପୁଅ ସଞ୍ଜୟ ସହିତ ବିବାହ କରାଇ ଦେଲେ ।
ଯୌତୁକରେ ଖୁବ ଧନ ରତ୍ନ ଆଣିଥିବାରୁ ଶାଶୁ ସୁନନ୍ଦା ଏବଂ ଅନ୍ୟ ଲୋକେ ତାକୁ ମିଛ ସମ୍ମାନ କରୁଥିଲେ ଏବଂ ଭଲ ପାଉଥିଲେ । ସଞ୍ଜୟ ନିଜ ମା’ଙ୍କ କଥାକୁ କେବେ ଅମାନ୍ୟ କରୁ ନଥିଲା । ଏମିତି ଛଅ ମାସ ପରେ ରେବତୀ ଗର୍ଭବତୀ ହେଲେ । ଖବର ପାଇବା ପରେ ରେବତୀଙ୍କ ପିତା ଅନେକ ଗହଣା ଏବଂ ବସ୍ତ୍ର ନେଇ ଝିଅକୁ ଦେଖିବାକୁ ଆସିଲେ । ଘରେ ସମସ୍ତେ ବେଶ ଖୁସି ଥିଲେ । କିନ୍ତୁ କିଛି ମାସ ପରେ ରେବତୀଙ୍କ ଗର୍ଭ ନଷ୍ଟ ହୋଇଗଲା । ଯାହାପରେ ଶାଶୁ ସୁନନ୍ଦାର ବ୍ୟବହାର ସମ୍ପୂର୍ଣ୍ଣ ବଦଳି ଗଲା । ରେବତୀକୁ ସେ ଖୁବ କଷ୍ଟ ଦେବା ଆରମ୍ଭ କଲେ ଏବଂ ଘରର ସବୁ କାମ କରାଉଥିଲେ । କିଛି ମାସ ପରେ ରେବତୀ ପୁଣି ଗର୍ଭବତୀ ହେଲେ ଏବଂ ଘର ଲୋକେ ପୁଣି ଖୁସି ହେଲେ ହେଁ ଶାଶୁ ସୁନନ୍ଦା କିନ୍ତୁ ଖୁସି ନଥିଲେ ।
ପ୍ରସବ ସମୟରେ ଏଥର କିନ୍ତୁ ମୃତ ସନ୍ତାନ ଜନ୍ମ ନେଲେ । ଯେଉଁଥିରେ ରାଗିଯାଇ ରେବତୀଙ୍କୁ ତାଙ୍କ ଶାଶୁ ଘରୁ ବାହାର କରିଦେଲେ । ରେବତୀ ନିରାଶ ହୋଇ ସେଠାରୁ ଚାଲିଗଲେ ଏବଂ ଏକ ଜଙ୍ଗଲ ଭିତର ଦେଇ ଯିବା ସମୟରେ ସୁନ୍ଦର ଗଛ ପାଖରେ ଥିବା କୁଡ଼ିଆରେ ରହିବାକୁ ମନସ୍ତ କଲେ । କାଳେ ବାପାଙ୍କ ବଦନାମୀ ହେବ ସେଥିପାଇଁ ସେ ଆଉ ବାପାଙ୍କ ଘରକୁ ଗଲେ ନାହିଁ । ସେଠାରେ ରେବତୀ ଭଗବାନ ବିଷ୍ଣୁଙ୍କ ତପସ୍ୟା କରିବାରେ ଲାଗିଲେ ଏବଂ ଏକୁଟିଆ ରହିବାର ଲାଗିଲେ । ଥରେ ଜଣେ ଋଷି ଏକ ଗାଈକୁ ନେଇ ସେହି କୁଡ଼ିଆରେ ପହଞ୍ଚିଲେ । ରେବତୀଙ୍କୁ ଏକୁଟିଆ ଏବଂ ନିରାଶ ଥିବାର ଦେଖି ତାଙ୍କ ସମସ୍ୟା ପଚାରିଲେ । ଏହାପରେ ତାଙ୍କୁ ଉପଦେଶ ଦେଇ ଗର୍ଭ ଧାରଣ କରିବାର ବାଟ ବତେଇଲେ ।
ତାଙ୍କୁ ଏକ ଗାଈ ଦେଇ ତାଙ୍କ ସେବା କରିବାକୁ କହିଲେ । ଗର୍ଭଧାରଣ ପରେ ଏବଂ ପୂର୍ବରୁ କେଉଁ କାମ କରିବା ଉଚିତ ନୁହେଁ ଏବଂ କେଉଁ ନିୟମ ମାନିବା ଉଚିତ ସେହି ବିଷୟରେ କହିଲେ । ଯେମିତିକି ମାସିକ ଧର୍ମ ସମୟରେ ସହବାସ କରିବା ଉଚିତ ନୁହେଁ , ଗର୍ଭବତୀ ସମୟରେ କ୍ରୋଧ କିମ୍ବା ଦୁଃଖୀ ନରହି ପ୍ରସନ୍ନ ରହିବା ଉଚିତ । ଯୁଗ୍ମ ତିଥିରେ ସହବାସ ଦ୍ୱାରା ଗୁଣବାନ ପୁତ୍ରର ଜନ୍ମ ହୋଇଥାଏ । ରେବତୀ ପ୍ରଣାମ କରିବା କ୍ଷଣି ସେହି ସାଧୁ ସେଠାରୁ ଅନ୍ତର୍ଧ୍ୟାନ ହୋଇଗଲେ । ଏହାଦେଖି ରେବତୀ ଜାଣିଗଲେ ଯେ ସ୍ୱୟଂ ଭଗବାନ ସାଧୁଙ୍କ ରୂପରେ ତାଙ୍କୁ ଦର୍ଶନ ଦେଇଛନ୍ତି । ରେବତୀ ସେହି ଗାଈର ସେବା କରିବାରେ ଲାଗିଲେ ।
ଏପଟେ ରେବତୀଙ୍କ ସ୍ୱାମୀଙ୍କୁ ସ୍ୱପ୍ନରେ ସ୍ବୟଂ ଭଗବାନ ବିଷ୍ଣୁ ଦର୍ଶନ ଦେଇ ରେବତୀଙ୍କ ପାଖକୁ ଯିବାକୁ କହିଲେ । ଏହାପରେ ରେବତୀଙ୍କ ସ୍ୱାମୀ ତାଙ୍କୁ ସନ୍ଧାନ କରି ସେହି କୁଡ଼ିଆ ପାଖରେ ପହଞ୍ଚି ଯାଆନ୍ତି । ଏହାପରେ ଦୁହେଁ ସେଠାରେ ରହିବାରେ ଲାଗିଲେ । ସାଧୁଙ୍କ କହିବା ଅନୁଯାୟୀ ଋତୁକାଳରେ ନିୟମ ଅନୁଯାୟୀ ରେବତୀ ନିଜ ସ୍ୱାମୀଙ୍କ ସହିତ ସହବାସ କଲେ । ସେ ଗର୍ଭବତୀ ହେଲେ । ନବମ ମାସ ପରେ ରେବତୀଙ୍କୁ ଅତ୍ୟନ୍ତ ସୁନ୍ଦର ପୁତ୍ରର ପ୍ରାପ୍ତି ହେଲା । ରେବତୀ ଏବଂ ତାଙ୍କ ସ୍ୱାମୀ ଖୁବ ଖୁସି ହେଲେ । ପୁତ୍ର ଜନ୍ମ ହେବା ପରେ ସେହି ଗାଈ ମଧ୍ୟ ସେଠାରୁ ଅଦୃଶ୍ୟ ହୋଇଗଲେ । ଦୁହେଁ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ଘରକୁ ଫେରିଗଲେ ।
ଶାଶୁ ସୁନନ୍ଦା ନିଜ ନାତିକୁ ଦେଖି ଖୁବ ଖୁସି ହେଲେ । କିନ୍ତୁ ଏହା କେମିତି ହେଲା ପ୍ରଶ୍ନ କରିବାରୁ ରେବତୀ ପୁରା କାହାଣୀ କହିଲେ । କିନ୍ତୁ ଶାଶୁର ବିଶ୍ୱାସ ହେଲା ନାହିଁ ତେଣୁ ରେବତୀ ତାଙ୍କୁ ଜଙ୍ଗଲର ସେହି ଆଶ୍ରମ ବିଷୟରେ କହିଲେ । ମନରେ ଲୋଭ ନେଇ ଥରେ ତାଙ୍କ ଶାଶୁ ଏକୁଟିଆ ସେହି ଆଶ୍ରମ ପାଖକୁ ଯାଇ ସେହି ସାଧୁଙ୍କ ଅପେକ୍ଷାରେ ବସି ରହିଲେ । କିଛିଦିନ ବିତିଯିବା ପରେ ସେହି ସ୍ଥାନକୁ ଜଣେ ରାକ୍ଷସୀ ଆସି ସୁନନ୍ଦାକୁ ଦେଖି ନିଜ ଶିକାର ଭାବି ଖୁସି ହୋଇଗଲା । ରାକ୍ଷସୀ ତାକୁ ମାରି ଖାଇଦିଏ । ଏପଟେ ରେବତୀ ନିଜ ଶାଶୁକୁ ଅପେକ୍ଷା କରିବା ସତ୍ତ୍ୱେ ସେ ନଫେରିବାରୁ ସେ ନିଜ ସ୍ୱାମୀଙ୍କୁ ତାଙ୍କୁ ଖୋଜିବାକୁ ପଠାଏ । ଜଙ୍ଗଲରେ ଯାଇ ରେବତୀଙ୍କ ସ୍ୱାମୀକୁ ସବୁ ଘଟଣା ଜଣା ପଡ଼ିଯାଏ । ଏହାପରେ ରେବତୀ ଏବଂ ତାଙ୍କ ସ୍ୱାମୀ ଘରେ ସୁଖୀ ଜୀବନ ବ୍ୟତୀତ କରନ୍ତି ।