ଆଜିକାର ଲେଖାରେ ଆମେ ଆପଣଙ୍କୁ ଚାରୋଟି ଅତି ଶିକ୍ଷଣୀୟ କଥା କହିବାକୁ ଯାଉଛୁ । ଏହା ଏକ ବାଇଚଢ଼େଇର କାହାଣୀ ଅଟେ । ଯେଉଁ ସବୁ କଥାକୁ ସବୁ ମନୁଷ୍ୟ ମନେ ରଖିବା ସହିତ ଜୀବନରେ କାମରେ ଲଗାଇବା ଉଚିତ । କାହାଣୀ ଅନୁଯାୟୀ ଏକ ନଗରରେ ଜଣେ ରାଜା ଥିଲେ ଯାହାଙ୍କର ଏକ ଆଲିଶାନ ମହଲ ଏବଂ ଏକ ସୁନ୍ଦର ବଗିଚା ଥିଲା । ସେହି ବଗିଚାରେ ଅନେକ ଫୁଲ ଫଳ ଗଛ ମଧ୍ୟ ଲାଗିଥିଲା । ମଝିରେ ଏକ ଅଙ୍ଗୁର ଗଛ ଲାଗିଥିଲା । ସେହି ବଗିଚାର ଖାସ ଧ୍ୟାନ ରଖିବା ପାଇଁ ରାଜା ଏକ ମାଳିକୁ ମଧ୍ୟ ନିୟୋଜିତ କରିଥିଲେ । ଦିନେ ଗୋଟିଏ ବାଇଚଢ଼େଇ ସେହି ବଗିଚାକୁ ଆସି ସେହି ଅଙ୍ଗୁର ଗଛରେ ବସିଲା ଏବଂ ସବୁ ମିଠା ଅଙ୍ଗୁର ଖାଇବା ସହିତ ଖଟା ଅଙ୍ଗୁରକୁ ତଳେ ପକାଇ ଦେଲା ।
ଏମିତି ସବୁଦିନ ହେବାରୁ ମାଳି ଚିନ୍ତିତ ହୋଇ ଏଭଳି କିଏ କରୁଛି ତାହାର ସନ୍ଧାନ ଆରମ୍ଭ କରିଦେଲା । ବାଇଚଢ଼େଇକୁ ମାଳି ଯେତେ ଧରିବାରେ ଚେଷ୍ଟା କଲେବି ବିଫଳ ହେଲା । ସେପଟେ ରାଜା ମିଠା ଅଙ୍ଗୁର ଆଣିବାକୁ ଆଦେଶ ଦେବାରୁ ମାଳି ଚିନ୍ତାରେ ପଡ଼ିଗଲା ଏବଂ ଖଟା ଅଙ୍ଗୁର ସବୁ ରାଜାଙ୍କ ଦରବାରକୁ ପଠାଇଲା । ଯାହାକୁ ଖାଇ ରାଜା ମଧ୍ୟ କ୍ରୋଧିତ ହେଉଥିଲେ । ଏମିତି ଅନେକ ଦିନ ହେବା ପରେ ଥରେ ରାଜା ମାଳିକୁ ଦରବାରକୁ ଡାକି ଏଭଳି ଖଟା ଅଙ୍ଗୁର ପଠାଇବାର କାରଣ ପଚାରିଲେ । ମାଳିର କଥା ଶୁଣି ରାଜା କହିଲେ ଏଭଳି ଛୋଟ ପକ୍ଷୀକୁ ଧରିବାକୁ ସେ ଅସମର୍ଥ କିଭଳି ହେଉଛନ୍ତି । ତେଣୁ ରାଜା ନିଜେ ବଗିଚା ସମ୍ଭାଳିବା ସହିତ ସେହି ବାଇଚଢ଼େଇକୁ ଧରିବେ ବୋଲି କାହିଲେ ।
ଆଗାମୀ ଦିନ ରାଜା ଯାଇ ବଗିଚା ଭିତରେ ଲୁଚି ବସିଗଲେ । ବାଇଚଢ଼େଇ ଯେତେବେଳେ ଅଙ୍ଗୁର ଖାଇବାକୁ ଗଛ ଉପରେ ବସିଲା ସେତେବେଳେ ରାଜା ଏକ ଜାଲ ପକାଇ ବାଇଚଢ଼େଇକୁ ଧରିନେଲେ । ରାଜା ନିଜକୁ ଖୁବ ଚତୁର ଭାବୁଥିଲେ । କିନ୍ତୁ ବାଇଚଢ଼େଇ ରାଜାଙ୍କୁ ଚାରୋଟି ଜ୍ଞାନ ବର୍ଦ୍ଧକ କଥା ଯାହା ରାଜାଙ୍କ ଜୀବନ ବଦଳାଇ ଦେବ , ତାହା କହିଲେ ରାଜା ତାଙ୍କୁ ଛାଡ଼ି ଦିଅନ୍ତୁ ବୋଲି ଅନୁରୋଧ କଲା । ରାଜା ନିଜ ହାତକୁ ଟିକିଏ ଢ଼ିଲା କଲେ ଏବଂ ବାଇଚଢ଼େଇ କହିଲେଯେ ‘ ହାତକୁ ଆସିଥିବା ଶତ୍ରୁକୁ କେବେ ଛାଡ଼ିବା ଉଚିତ ନୁହେଁ ‘ । ଦ୍ୱିତୀୟ କଥା କହିବା ଆଗରୁ ହାତକୁ ଆଉ ଟିକିଏ ଢ଼ିଲା କରିବାକୁ କହି ବାଇଚଢ଼େଇ କହିଲା ‘ କେବେ କେହି ଅଜଣା ବ୍ୟକ୍ତି ଉପରେ ବିଶ୍ୱାସ କରିବା ଉଚିତ ନୁହେଁ ‘ ।
ରାଜାଙ୍କୁ ହାତ ଆଉ ଟିକିଏ ଢ଼ିଲା କରିବାକୁ କହି କହିଲା ‘ ଯାହା ହୋଇ ଯାଇଛି ତାହା ଉପରେ ପଶ୍ଚାତାପ କରିବା ଉଚିତ ନୁହେଁ । ଏହାପରେ ରାଜା ହାତ ଖୋଲା କରିଦେଇ ତାକୁ ଶେଷ କଥା ପଚାରିଲେ । ଏହାପରେ ବାଇଚଢ଼େଇ ନିଜ ପେଟରେ ଦୁଇଟି ଅମୂଲ୍ୟ ରତ୍ନ ଥିବା କହି ଝଟ କରି ଗଛ ଉପରକୁ ଉଡ଼ି ଯାଇ ବସିଗଲା । ବାଇଚଢ଼େଇ ରାଜାଙ୍କୁ କହିଲେ ଯେ ସେ ତାକୁ ଛାଡ଼ିବାର ନଥିଲା । ଯଦି ସେ ତାକୁ ମାରି ଦେଇଥାନ୍ତେ ତେବେ ତା ପେଟରୁ ଅମୂଲ୍ୟ ରତ୍ନ ଦୁଇଟି ପାଇପାରିଥାନ୍ତେ । ରାଜା କ୍ରୋଧିତ ହେଲେ କିନ୍ତୁ ବାଇଚଢ଼େଇ କହିଥିବା ସବୁ କଥାକୁ ସେ ବୁଝି ପାରିଥିଲେ ।