ପ୍ରାଚୀନ ସମୟରୁ ହିଁ ମନୁଷ୍ୟ ଭିନ୍ନ ଭିନ୍ନ ଭିନ୍ନ ଦେବଦେବୀଙ୍କୁ ଭିନ୍ନ ଭିନ୍ନ ଉପାୟରେ ପୂଜା ଆରାଧନା କରିଆସୁଛି । ସେହିଭଳି ଭଗବାନ ଶିବଙ୍କୁ ସନ୍ତୁଷ୍ଟ କରିବା ପାଇଁ କ୍ଷୀର ଅର୍ପିତ କରୁଥିବା ବେଳେ ବିଷ୍ଣୁଙ୍କୁ ସନ୍ତୁଷ୍ଟ କରିବା ପାଇଁ ମିଠା ଭୋଗ ଏବଂ ମାତା ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ପୂଜା କରିବା ସହିତ ମାତା ସରସ୍ୱତୀଙ୍କ ନିକଟରେ ବିଦ୍ୟା ଅର୍ଜନ ପାଇଁ ବ୍ୟବହାର କରାଯାଉଥିବା ଜିନିଷ ରଖି ପୂଜା କରାଯାଏ । ଶାସ୍ତ୍ର ଅନୁଯାୟୀ ଭଗବାନଙ୍କୁ ପୂଜା କରିବା ସମୟରେ ଅନେକ ନିୟମ ବିଧି ରହିଛି । ଭଗବାନଙ୍କୁ ପୂଜା କରିବା ସମୟରେ ଏହି ନିୟମ ମାନିଲେ ପୂଜାର ଶୁଭ ଫଳ ମଧ୍ୟ ପ୍ରାପ୍ତ ହୋଇଥାଏ । କିନ୍ତୁ ଭଗବାନଙ୍କ ପୂଜା କରିବା ସମୟରେ କିଛି କାମକୁ ବର୍ଜିତ ମାନା ଯାଇଛି ।
ପୂଜା ସମୟରେ କିଛି ଭୁଲ ହେଲେ ପୂଜାର ବିପରୀତ ଫଳ ଦେଖିବାକୁ ମିଳିଥାଏ । ଏହାଦ୍ବାରା ଇଷ୍ଟଦେବ କ୍ରୋଧିତ ମଧ୍ୟ ହୁଅନ୍ତି । ଏହାବ୍ୟତୀତ କିଛି ଏପରି ମନସ୍କାମନା ରହିଛି , ଯାହାକୁ ଯଦି ଆପଣ ଭଗବାନଙ୍କୁ ପ୍ରାର୍ଥନା ଆକାରରେ କହନ୍ତି ତେବେ ଭଗବାନ ତାହା ପୂରଣ କରିବେ ନାହିଁ । ଯଦି ଆପଣ ଭଗବାନଙ୍କୁ ପୂଜା କରିବା ସମୟରେ ଏଭଳି କିଛି ଇଚ୍ଛା ମାଗୁଛନ୍ତି ଯେ ଅନ୍ୟର ଅନର୍ଥ ହେଉ ଏବଂ ସମସ୍ୟା ହେଉ ତେବେ ଆପଣଙ୍କର ଏହି ପ୍ରାର୍ଥନା କେବେବି ଭଗବାନଙ୍କ ପାଇଁ ଗ୍ରହଣୀୟ ନୁହେଁ । ଏଭଳି ବ୍ୟକ୍ତି ଉପରେ ଭଗବାନ କେବେବି କୃପା କରନ୍ତି ନାହିଁ ।
ଅନ୍ୟର ଅମଙ୍ଗଳ ପାଇଁ କାମନା ନକରି ସମସ୍ତଙ୍କ ମଙ୍ଗଳ ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବା ଉଚିତ । ଏହାଦ୍ବାରା ଭଗବାନ ପ୍ରସନ୍ନ ହୁଅନ୍ତି । ଭଗବାନଙ୍କୁ ପ୍ରାର୍ଥନା କରିବା ସମୟରେ କୌଣସି ପ୍ରକାରର ଲୋଭ କରିବା ଉଚିତ ନୁହେଁ । କାରଣ ଲୋଭ ମନୁଷ୍ୟକୁ ଆସତ୍ତି ଦିଗରେ ନେଇଯାଏ । ପୂଜା କରିବା ସମୟରେ ମନରେ କାମ ଭାବ ଜାଗ୍ରତ ହେଲେ କାମକୁ ତୁରନ୍ତ ବନ୍ଦ କରିଦେବା ଉଚିତ । କାମ କ୍ରୀଡ଼ା ପରେ ସ୍ବାମୀ ସ୍ତ୍ରୀ ଅପବିତ୍ର ହୋଇଯାଆନ୍ତି ତେଣୁ ଏହାପରେ ପୂଜା କରନ୍ତୁ ନାହିଁ । ଏହି ସମୟରେ ପୂଜା କଲେ ତାହାର କୌଣସି ଫଳ ପ୍ରାପ୍ତ ହୁଏନାହିଁ ।
ଯେଉଁ ବ୍ୟକ୍ତି ସୁଖ ସମୟରେ ଭଗବାନଙ୍କୁ ଭୁଲିଯାଇ କେବଳ ଦୁଃଖ ସମୟରେ ଭଗବାନଙ୍କୁ ପ୍ରାର୍ଥନା କରିଥାଏ , ଏଭଳି ବ୍ୟକ୍ତି ଈଶ୍ୱରଙ୍କ କୃପାର ପାତ୍ର ହୋଇ ନଥାଏ । ଭଗବାନଙ୍କୁ ପୂଜା କରିବା ସମୟରେ ମନ୍ତ୍ର ନିଶ୍ଚୟ ଜପ କରନ୍ତୁ । କାରଣ ମନ୍ତ୍ରରେ ଅପାର ଶକ୍ତି ରହିଥାଏ । ଏହାବ୍ୟତୀତ ଆଖପାଖର ବାତାବରଣ ସକାରାତ୍ମକତାରେ ଭରିଯାଏ ।