ନବରାତ୍ରୀର ଆରମ୍ଭ ସହିତ ମାତା ଦୁର୍ଗା ଘରକୁ ପ୍ରବେଶ କରିଥାନ୍ତି । ଏହି ସମୟରେ ଅନେକ ପୂଜାପର୍ବ ଏବଂ ବାର ବ୍ରତର ବିଧାନ ରହିଛି । ଯାହାଦ୍ୱାରା ମାତା ଦୁର୍ଗା ପ୍ରସନ୍ନ ହୁଅନ୍ତି । ସାଧରଣତଃ ନଅ ଦିନ ପର୍ଯ୍ୟନ୍ତ ମାତା ଦୁର୍ଗାଙ୍କର ଭିନ୍ନ ଭିନ୍ନ ରୂପରେ ପୂଜା କରାଯାଏ । ତାହା ମଧ୍ୟରୁ ପ୍ରଥମ ଦିନ କଳସ ସ୍ଥାପନା ସମୟରେ କିଛି ବିଶେଷ ଜିନିଷର ଉପଯୋଗ ହୋଇଥାଏ ଯାହା ମାତା ଦୁର୍ଗାଙ୍କର ଅଧିକ ପସନ୍ଦ ଥାଏ ।
ମାତା ଦୁର୍ଗାଙ୍କୁ ଏହି ନଅ ଦିନ ନିଷ୍ଠାର ସହିତ ପୂଜା କଲେ ମାତା ଦୁର୍ଗା ପ୍ରସନ୍ନ ହୁଅନ୍ତି । ଯାହାଦ୍ୱାରା କୌଣସି ପ୍ରକାରର ରୋଗ ହୋଇ ନଥାଏ । ମାନସିକ ଶାନ୍ତି ପ୍ରାପ୍ତ ହୋଇଥାଏ ଏବଂ ଆର୍ଥିକ ସମସ୍ୟା କେବେ ହୋଇ ନଥାଏ । ଏହି ନଅ ଦିନରେ ମାତାଙ୍କର ନଅ ପ୍ରକାରର ରୂପକୁ ଆରାଧନା କରାଯାଏ । ଯଥା ମା ଶୈଳପୁତ୍ରୀ , ମା ବ୍ରହ୍ମଚାରିଣୀ , ମା ଚନ୍ଦ୍ରଘଣ୍ଟା , ମା କୁସମାଣ୍ଡା , ମା ସ୍କନ୍ଧମାତା , ମା କାତ୍ୟାୟନି , ମା ଗୌରୀ , ମା କାଳରାତ୍ରୀ ଏବଂ ମା ସିଦ୍ଧିଦାତ୍ରୀ ।
ଏହି ନବରାତ୍ରୀ ସମୟରେ ମାତା ଦୁର୍ଗାଙ୍କ ପାଇଁ ବ୍ରତ ପାଳନ କଲେ ତାହାର ଶୁଭ ଫଳ ପ୍ରାପ୍ତ ହୋଇଥାଏ ଏବଂ ସମସ୍ତ ମନସ୍କାମନା ମଧ୍ୟ ପୁର୍ଣ୍ଣ ହୋଇଥାଏ । ମାତ୍ର ଯଦି ଆପଣ ବ୍ରତ ରଖିବାକୁ ସକ୍ଷମ ନୁହଁନ୍ତି ତେବେ ନଅ ଦିନ ପର୍ଯ୍ୟନ୍ତ ସାତ୍ଵିକତା ଏବଂ ଶୁଦ୍ଧତାର ସହିତ ମାତାଙ୍କ ଜପ କରନ୍ତୁ ଏବଂ ଆରାଧନା କରନ୍ତୁ । ଏହାଦ୍ବାରା କୌଣସି ବ୍ରତ କରିବାର ଆବଶ୍ୟକତା ନାହିଁ । ଏହାଦ୍ବାରା ମାତା ଆପଣଙ୍କର ସବୁ ମନସ୍କାମନା ପୁର୍ଣ୍ଣ କରିବେ । ଏହି ସମୟରେ ଆପଣ କେବଳ ଶୁଦ୍ଧ ସାତ୍ଵିକ ଆହାର ସେବନ କରନ୍ତୁ । ଘରକୁ ତାମସିକ ଭୋଜନ ଯେମିତିକି ପିଆଜ ରସୁଣ ମାଛ ମାଂସ ଭଳି ଜିନିଷ ଆଣନ୍ତୁ ନାହିଁ । କାରଣ ଏହାଦ୍ବାରା ଘର ଅପବିତ୍ର ହୋଇଥାଏ ।
ନବରାତ୍ରୀର ନଅ ଦିନ ପର୍ଯ୍ୟନ୍ତ ଘରକୁ ପରିଷ୍କାର ଏବଂ ସଜେଇ ରଖନ୍ତୁ । ଏହାଦ୍ବାରା ମାତା ଆକର୍ଷିତ ହୋଇ ଘରକୁ ଆସିବେ । ମାତ୍ର କେବଳ ଘରକୁ ସଫା ସୁତୁରା ରଖିଲେ ମାତା ପ୍ରସନ୍ନ ହୁଅନ୍ତି ନାହିଁ କିମ୍ବା ଦିନ ରାତି ପୂଜା ଅର୍ଚ୍ଚନା କଲେ ମାତା ପ୍ରସନ୍ନ ହୁଅନ୍ତି ନାହିଁ ବରଂ ଏହି ସମୟରେ ଘରେ ଯେମିତି କୌଣସି ପ୍ରକାରର କଳହ , ବିବାଦ , ନିନ୍ଦା , ଇର୍ଷା ଭଳି କାମ ନହୁଏ । ନଚେତ ମାତା ଘରକୁ ପ୍ରବେଶ କରିବେ ନାହିଁ । କାରଣ ଏହିସବୁ କାରଣ ଦ୍ୱାରା ଘରେ ନକରାତ୍ମକତା ଜାତ ହୋଇଥାଏ ଯାହା ମାତା ଦୁର୍ଗାଙ୍କୁ ଆଦୋୖ ପସନ୍ଦ ନୁହେଁ । ତେଣୁ ଏଥିପ୍ରତି ଧ୍ୟାନ ଦିଅନ୍ତୁ । କେବଳ ନିଷ୍ଠାର ସହିତ ଏହିସବୁ କଥା ପ୍ରତି ଧ୍ୟାନ ଦେଇ ମାତାଙ୍କ ଆରାଧନା କରନ୍ତୁ । ଦେଖିବେ ଆପଣଙ୍କର ସବୁ ମନସ୍କାମନା ପୂର୍ଣ୍ଣ ହେବ ।
ଦୁର୍ଗାପୂଜା ଆଶ୍ୱିନ ମାସ ଶୁକ୍ଳ ପକ୍ଷ ପ୍ରତିପଦରେ ଅନୁଷ୍ଠିତ ହୋଇଥାଏ । ଚଳିତ ବର୍ଷ ସେପ୍ଟେମ୍ବର ୨୬ ରୁ ନବରାତ୍ରୀ ଆରମ୍ଭ ହେବାକୁ ଯାଉଛି ଏବଂ ଅକ୍ଟୋବର ୫ ରେ ଶେଷ ହେବାକୁ ଯାଉଛି । ଚଳିତ ବର୍ଷ ମାତା ଦୁର୍ଗା ହାତୀ ଉପରେ ବସି ବିରାଜମାନ କରିବାକୁ ଯାଉଛନ୍ତି । ତେଣୁ ଚଳିତ ବର୍ଷ ଦୁର୍ଗା ପୂଜାର ଅଧିକ ମହତ୍ତ୍ୱ ରହିଛି । ୨୬ ରେ କଳସ ସ୍ଥାପନାର ଶୁଭ ମୁହୁର୍ତ୍ତ ରହିଛି । ମାତ୍ର କଳସ ସ୍ଥାପନା ନକରି ମଧ୍ୟ ଆପଣ ମାତା ଦୁର୍ଗାଙ୍କ ଆରାଧନା କରି ପାରିବେ । ତାହାର ବିଧି ଅନୁସାରେ :-
ନବରାତ୍ରୀ ଦିନ ସକାଳୁ ସ୍ନାନ କରି ଯେଉଁ ସ୍ଥାନରେ ମୂର୍ତ୍ତି ଏବଂ କଳସ ସ୍ଥାପନା କରିବେ ସେଠାରେ ସଫାସୁତୁରା କରି ଗଙ୍ଗା ଜଳ ସିଞ୍ଚି ଦିଅନ୍ତୁ । ସେଠାରେ ଏକ ଚୌକି ରଖି ତାହା ଉପରେ ଏକ ନାଲି କପଡ଼ା ବିଛାଇ ଦିଅନ୍ତୁ । ବର୍ତ୍ତମାନ ତାହା ଉପରେ ମାତା ଦୁର୍ଗାଙ୍କ ମୂର୍ତ୍ତି ରଖନ୍ତୁ । ଏହାପରେ ଭଗବାନ ଗଣେଶଙ୍କ ପୂଜା କରି କଳସ ସ୍ଥାପନା କରନ୍ତୁ । କଳସ ସ୍ଥାପନାରେ ସୁପାରି , ମୁଦ୍ରା ଏବଂ ଚାଉଳ ମଧ୍ୟ ଦିଅନ୍ତୁ ।
ଏସବୁକୁ କଳସରେ ରଖି ତାହା ଉପରେ ନଡ଼ିଆ ରଖି କଳସ ସ୍ଥାପନା କରନ୍ତୁ । ଆପଣ ଚାହିଁଲେ ଅଖଣ୍ଡ ଜ୍ୟୋତି ମଧ୍ୟ ଜାଳି ପାରିବେ । ଆପଣ ଚାହିଁଲେ ନିଜେ କରି ପାରିବେ କିମ୍ବା ବ୍ରାହ୍ମଣ ଡକାଇ ମଧ୍ୟ କରି ପାରିବେ । କଳସକୁ ସର୍ବଦା ମାତା ଦୁର୍ଗାଙ୍କ ଡାହାଣ ପାର୍ଶ୍ଵରେ ସ୍ଥାପନା କରନ୍ତୁ । ଏହାପରେ ନିଷ୍ଠାର ସହିତ ସକାଳ ସନ୍ଧ୍ୟା ଆରାଧନା କରନ୍ତୁ ।