ପିତୃ ପକ୍ଷ ଭାଦ୍ରବ ମାସ ପୂର୍ଣ୍ଣିମାରୁ ଆରମ୍ଭ ହୋଇ ଆଶ୍ୱିନ ମାସ ଅମାବାସ୍ୟା ପର୍ଯ୍ୟନ୍ତ ଚାଲିଥାଏ । ଏହା ପିତୃଙ୍କୁ ଅର୍ଘ୍ୟ ଦେବା ଏବଂ ପିଣ୍ଡ ଦାନ ନିମନ୍ତେ ହୋଇଥାଏ । ଏହାକୁ ଶ୍ରାଦ୍ଧ ପକ୍ଷ ମଧ୍ୟ କୁହାଯାଏ । ଏହି ସମୟରେ ପିତୃଙ୍କୁ ନିଷ୍ଠାର ସହିତ ପିଣ୍ଡ ଦାନ କରାଯାଏ । ତେଣୁ ଏହି ସମୟରେ କୌଣସି ପ୍ରକାରର ଧାର୍ମିକ କାର୍ଯ୍ୟ କିମ୍ବା ପବିତ୍ର କାର୍ଯ୍ୟାନୁଷ୍ଠାନ ବିବାହ ଉତ୍ସବ ଆଦି ବନ୍ଦ ରହିଥାଏ । ପିତୃ ପକ୍ଷରେ ମନୁଷ୍ୟର ପୂର୍ବଜ ଭିନ୍ନ ଭିନ୍ନ ରୂପରେ ନିଜ ପରିଜନଙ୍କ ଠାରୁ ଅର୍ଘ୍ୟ ଗ୍ରହଣ କରିବାକୁ ପୃଥିବୀକୁ ଆସିଥାନ୍ତି ।
କାରଣ ଏହି ସମୟରେ ଯମରାଜ ପିତୃଙ୍କୁ ନିଜ ପରିଜନଙ୍କୁ ସାକ୍ଷାତ କରିବା ପାଇଁ ଛାଡ଼ିଥାନ୍ତି । ପିତୃଙ୍କୁ ଶ୍ରାଦ୍ଧ ଏବଂ ଅର୍ଘ୍ୟ ଦେବା ଦ୍ୱାରା ମନୁଷ୍ୟର ସବୁ ପ୍ରକାରର ଦୋଷ ଦୂର ହୋଇଥାଏ ଏବଂ ତା ଉପରେ ସବୁ ଦେବଦେବୀଙ୍କ ଆଶୀର୍ବାଦ ମଧ୍ୟ ରହିଥାଏ । ମାତ୍ର ଯେଉଁ ବ୍ୟକ୍ତି ପିତୃଙ୍କୁ ଶ୍ରାଦ୍ଧ କିମ୍ବା ଅର୍ଘ୍ୟ ଦେଇ ନଥାଏ ତା ଉପରେ ବିଭିନ୍ନ ପ୍ରକାରର ଦୋଷ , ପିତୃ ଦୋଷ ଲାଗିଥାଏ । ଦେବଦେବୀ ମଧ୍ୟ ସେପରି ବ୍ୟକ୍ତି ଉପରେ ପ୍ରସନ୍ନ ରହନ୍ତି ନାହିଁ ।
ପିତୃଙ୍କୁ ଏକ ନିଷ୍ଠାର ସହିତ ମୁଠା ଚାଉଳ ଅର୍ପଣ କରିବା ଦ୍ୱାରା ମଧ୍ୟ ପିତୃ ପ୍ରସନ୍ନ ହୋଇଥାନ୍ତି ଏବଂ ପିତୃ ଦୋଷରୁ ମୁକ୍ତି ମିଳିଥାଏ । ଏହାଦ୍ବାରା ସବୁ ପ୍ରକାରର ଆର୍ଥିକ ସମସ୍ୟା ଦୂରେଇ ଯାଏ ଏବଂ ଜୀବନରେ ସବୁ କ୍ଷେତ୍ରରେ ସଫଳତା ମଧ୍ୟ ମିଳିଥାଏ । ତେବେ ଆଜି ଆମେ ଆପଣଙ୍କୁ ଚାଉଳକୁ ନେଇ ପିତୃଙ୍କୁ ଖୁସି କରିବା ନିମନ୍ତେ କରାଯାଉଥିବା ଉପାୟ ବିଷୟରେ କହିବୁ । ଏହି ଉପାୟ ଅନୁଯାୟୀ ପିତୃଙ୍କୁ ତର୍ପଣ ପରେ ଚାଉଳ ପିଣ୍ଡ ଦାନ କରନ୍ତୁ । କାରଣ ପିତୃଙ୍କୁ ଚାଉଳ ପିଣ୍ଡ ଅତ୍ୟନ୍ତ ପସନ୍ଦ ଥାଏ ।
ଚାଉଳର ତାସୀର ଥଣ୍ଡା ହୋଇଥିବାରୁ ତାହା ପିତୃଙ୍କୁ ଶୀତଳତା ପ୍ରଦାନ କରିଥାଏ । ଏହି କାରଣରୁ ପିତୃ ଅଧିକ ସମୟ ପର୍ଯ୍ୟନ୍ତ ପ୍ରସନ୍ନ ରହନ୍ତି । ପିତୃଙ୍କୁ ସୂର୍ଯ୍ୟ ପ୍ରକାଶ ଦ୍ୱାରା ହିଁ ପିଣ୍ଡ ଦିଆଯାଏ। ତେଣୁ ଦ୍ୱିପ୍ରହର ସମୟରେ ଯେତେବେଳେ ସୂର୍ଯ୍ୟ ମୁଣ୍ଡ ଉପରେ ଥାଆନ୍ତି ସେହି ସମୟରେ ପିଣ୍ଡ ଦାନ କଲେ ତାହା ପିତୃ ଶୀଘ୍ର ଗ୍ରହଣ କରନ୍ତି । ପିଣ୍ଡ ଦାନ ସମୟରେ ହାତରେ ନିଶ୍ଚିତ ଭାବରେ କୁଶା ଘାସ ପିନ୍ଧନ୍ତୁ । କାରଣ ତାହା ମଧ୍ୟ ଶୀତଳ ହୋଇଥାଏ ।
ସେହିଦିନ ଏକ ମୁଠା ଚାଉଳରେ ପିତୃଙ୍କୁ ଅର୍ପିତ କରିବା ପାଇଁ କ୍ଷୀରି ମଧ୍ୟ ପ୍ରସ୍ତୁତ କରନ୍ତୁ । ତାହାକୁ ପୟାସ ମଧ୍ୟ କୁହାଯାଏ । କାରଣ ଚାଉଳ ଓ ତରଳ ପଦାର୍ଥ ଦ୍ୱାରା କ୍ଷୀରି ତିଆରି ହୋଇଥାଏ । କେବଳ କ୍ଷୀରି ନୁହେଁ ବରଂ ସାଥିରେ ପୁରୀ ମଧ୍ୟ ତିଆରି କରନ୍ତୁ । ଏହାପରେ ଏକ ଗୋବର ଗୋଳି ତିଆରି କରି ତାହାକୁ ଭଲ ଭାବରେ ଶୁଖାଇ ଦିଅନ୍ତୁ ଏବଂ ଏକ ପ୍ଲେଟ ଉପରେ ରଖି ଶ୍ରାଦ୍ଧ ଦେବା ସ୍ଥାନରେ ରଖନ୍ତୁ । ପାଖରେ କ୍ଷୀରି ପୁରୀ ଏବଂ ଏକ ଗ୍ଲାସ ପାଣି ରଖନ୍ତୁ । ଗୋବର ଗୋଳି ଉପରେ ଘିଅ ଏବଂ କର୍ପୂର ଦେଇ ଜଳାଇ ଦିଅନ୍ତୁ ଏବଂ ତିନି ଥର ଘିଅ ଆହୁତି ଦିଅନ୍ତୁ । ଏହାପରେ ପିତୃ ମନ୍ତ୍ରର ଜପ କରନ୍ତୁ । ନିଆଁ ଶାନ୍ତ ହେବାପରେ ପୁରୀ କ୍ଷୀରିକୁ ଛାତ ଉପରେ ଭୋଗ ନିମିତ୍ତ ରଖନ୍ତୁ ।
ଏହି ସମୟରେ ଗୋମାତାଙ୍କୁ ଖୁଆଇବା ମଧ୍ୟ ଉଚିତ । କାରଣ ଗୋମାତାଙ୍କ ମଧ୍ୟରେ ସବୁ ଦେବଦେବୀ ଏବଂ ପିତୃ ମଧ୍ୟ ବାସ କରନ୍ତି । ପୁଣି ପିତୃ କାଉ ରୂପରେ ପ୍ରିୟଜନଙ୍କୁ ସାକ୍ଷାତ କରିବାକୁ ଆସନ୍ତି ଏବଂ କାଉ ଯମର ବାହାନ ମଧ୍ୟ ହୋଇଥାଏ । ତେଣୁ ପିତୃ ପକ୍ଷ ସମୟରେ ଶ୍ରାଦ୍ଧ ସମୟରେ ଭୋଜନର ଏକ ଅଂଶ କାଉକୁ ମଧ୍ୟ ଅର୍ପିତ କରିବା ଉଚିତ । ଧାର୍ମିକ ମାନ୍ୟତା ଅନୁସାରେ ଯଦି କାଉ ଭୋଜନ ଗ୍ରହଣ କରେ ତେବେ ତାହାର ଅର୍ଥ ଆପଣଙ୍କ ପିତୃ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି । ଆଉ ଯଦି ଗ୍ରହଣ ନକରନ୍ତି ତେବେ ତାହାର ଅର୍ଥ ଆପଣଙ୍କ ପିତୃ ଆପଣଙ୍କ ଉପରେ ପ୍ରସନ୍ନ ନାହାଁନ୍ତି ଏବଂ ଅତୃପ୍ତ ଆତ୍ମା ଭାବରେ ବିଚରଣ କରୁଛନ୍ତି । ଏପରି ମାନ୍ୟତା ରହିଛି ଯେ କାଉକୁ ଦିଆଯାଉଥିବା ଭୋଜନ ପିତୃଙ୍କୁ ପ୍ରାପ୍ତ ହୋଇଥାଏ ।