ପୃଥିବୀ ପୃଷ୍ଠରେ ଯିଏବି ଜନ୍ମ ହୋଇଥାଏ ସେ ମରଣଶୀଳ ହୋଇଥାଏ । ମନୁଷ୍ୟ ଜନ୍ମ ହୋଇଛି ମାନେ ମୃତ୍ୟୁ ସୁନିଶ୍ଚିତ ଅଟେ । ଏମିତିକି ପ୍ରତ୍ୟେକ ଯୁଗରେ ମନୁଷ୍ୟ ରୂପ ଧାରଣ କରି ଜନ୍ମ ହେଇଥିବା ସ୍ବୟଂ ଭଗବାନଙ୍କୁ ମଧ୍ୟ ନିଜର ଶରୀର ତ୍ୟାଗ କରିବାକୁ ପଡ଼ିଥିଲା । କିନ୍ତୁ ମନୁଷ୍ୟର ମୃତ୍ୟୁ ପୂର୍ବରୁ ଯମରାଜ କିଛି ସଙ୍କେତ ଦେଇଥାନ୍ତି । ଯାହା ଆଜିବି ଯମରାଜ ପାଳନ କରନ୍ତି । ହିନ୍ଦୁ ଧର୍ମରେ ଯମରାଜଙ୍କୁ ମୃତ୍ୟୁର ଦେବତା ମାନା ଯାଇଥାଏ । ଏହାଦ୍ବାରା ପୃଥିବୀରେ ସନ୍ତୁଳନ ବଜାୟ ରହିଥାଏ । ଯମରାଜଙ୍କ ବାପା ସୂର୍ଯ୍ୟଏବଂ ମାତା ସନ୍ଧ୍ୟା , ଏହାବ୍ୟତୀତ ଭଉଣୀ ଯମୁନା ଏବଂ ଭାଇ ଶନି । ଯମରାଜଙ୍କ ବାହନ ମଇଁଷି ହୋଇଥାଏ । ତାଙ୍କ ମୁକୁଟରେ ମଇଁଷି ଶିଙ୍ଗ ଲାଗିବା ସହିତ ହାତରେ ଗଦା ରହିଥାଏ ।
ଚିତ୍ରଗୁପ୍ତଙ୍କ ସହିତ ମିଶି ମନୁଷ୍ୟର କର୍ମ ଅନୁଯାୟୀ ମନୁଷ୍ୟକୁ କର୍ମଫଳ ଦେଇ ସ୍ୱର୍ଗ ଏବଂ ନର୍କ ଫଳ ଦେଇଥାନ୍ତି । ସାଧରଣତଃ ଭଲ କାମ କଲେ ସ୍ୱର୍ଗ ଏବଂ ଖରାପ କାମ କଲେ ନର୍କ ମିଳିଥାଏ । ବୟସର ଅପରାହ୍ନରେ ସବୁ ବ୍ୟକ୍ତଙ୍କୁ ଯମରାଜ କିଛି ସଙ୍କେତ ପଠାଇଥାନ୍ତି ଯାହାଦ୍ୱାରା ବ୍ୟକ୍ତି ନିଜ ମୃତ୍ୟୁ ସମୟ ନିକଟ ହେଉଥିବା ବିଷୟରେ ଜାଣିପାରି ନିଜର ପରିଜନଙ୍କୁ ଶେଷ ଥର ପାଇଁ ସାକ୍ଷାତ କରିଥାଏ । ମନୁଷ୍ୟର ବୟସ ବଢ଼ିବା ସହିତ କେଶ ମଧ୍ୟ ପାଚିଥାଏ ଯାହାକି ପ୍ରଥମ ସଙ୍କେତ ହୋଇଥାଏ । ଧୀରେ ଧୀରେ ବୟସ ବଢ଼ିଲେ ବ୍ୟକ୍ତିର ଦାନ୍ତ ଦୁର୍ବଳ ହୋଇଯାଏ । ବ୍ୟକ୍ତି ସବୁ ଖାଦ୍ୟ ଖାଇବାକୁ ସକ୍ଷମ ହୁଏନାହିଁ । ଧୀରେ ଧୀରେ ସବୁ ଦାନ୍ତ ପଡ଼ିଯାଏ ।
ତୃତୀୟ ସଙ୍କେତ ଅନୁଯାୟୀ ଧୀରେ ଧୀରେ ବୟସ ବୃଦ୍ଧି ସହିତ ମଣିଷର ଦୃଷ୍ଟି ଶକ୍ତି କମିଯିବା କାରଣରୁ କୌଣସି ଜିନିଷ ଦେଖିବାରେ ସମସ୍ୟା ଆସିଥାଏ । ବ୍ୟକ୍ତିର ଶୁଣିବା ଏବଂ ଦେଖିବା ଇନ୍ଦ୍ରିୟ ଦୁର୍ବଳ ହୋଇଯାଏ । ସେହି ସମୟରେ ସଂସାରର ମୋହ ମାୟା ଛାଡ଼ି ମୋକ୍ଷ ପ୍ରାପ୍ତି ପାଇଁ ଧ୍ୟାନ କରିବା ଉଚିତ । ଚତୁର୍ଥ ସଙ୍କେତ ଅନୁଯାୟୀ ଧୀରେ ଧୀରେ ବ୍ୟକ୍ତିର ଅଣ୍ଟା ନଇଁ ଯାଏ ଏବଂ ବ୍ୟକ୍ତି ନିଜର ଭାର ଉଠାଇବାକୁ ସୁଦ୍ଧା ଅକ୍ଷମ ହୋଇଯାଏ । ଯେଉଁ ବ୍ୟକ୍ତି ଯମରାଜଙ୍କର ଏହି ଚାରୋଟି ସଙ୍କେତ ବୁଝିପାରେ ନାହିଁ ସେହି ବ୍ୟକ୍ତି ନର୍କ ଦଣ୍ଡ ଭୋଗିଥାଏ । ଯେତେବେଳେ ବ୍ୟକ୍ତିର ମୃତ୍ୟୁ ହୁଏ ସେତେବେଳେ ଆତ୍ମାର ମାର୍ଗରେ ତିନି ପ୍ରକାରର ପର୍ଯ୍ୟାୟ ଆସିଥାଏ ।
ତେବେ ଆତ୍ମା କେଉଁ ମାର୍ଗରେ ଯିବ ତାହା ବ୍ୟକ୍ତିର କର୍ମ ଅନୁଯାୟୀ ନିଶ୍ଚିତ ହୋଇଥାଏ । ଅର୍ଚି ମାର୍ଗ ବ୍ରହ୍ମଲୋକ ଏବଂ ଦେବଲୋକର ଯାତ୍ରାରେ ନେଇଥାଏ । ଧୂମମାର୍ଗ ପିତୃଲୋକ ଯାତ୍ରାରେ ରହିଥାଏ । ଉତ୍ପତ୍ତି ବିନାଶ ମାର୍ଗ ନର୍କ ଯାତ୍ରା ନିମନ୍ତେ ହୋଇଥାଏ । ପ୍ରତିଦିନ ପୂଜା ପାଠ ସମୟରେ କୌଣସି ପବିତ୍ର ପାଠ ମନ ଧ୍ୟାନ ଦେଇ ଶୁଣିଲେ ମାଧ୍ୟ ସ୍ୱର୍ଗ ପ୍ରାପ୍ତି ହୋଇଥାଏ । ଅର୍ଥାତ ଭଲ କାମ କଲେ ଆତ୍ମା ଦେବତା ହୋଇଥାଏ । ମାତ୍ର ଖରାପ କାମ କଲେ ନର୍କରେ ସବୁଦିନ ପାଇଁ ଦଣ୍ଡ ଭୋଗିଭାକୁ ପଡ଼ିପାରେ କିମ୍ବା ପୁଣିଥରେ ପୃଥିବୀରେ ଜନ୍ମ ନେବାକୁ ପଡ଼ିପାରେ । ଏହିସବୁ ଜୀବନ ଯାତ୍ରା ସମ୍ପର୍କରେ ଗରୁଡ଼ ପୁରାଣରେ ବର୍ଣ୍ଣିତ ହୋଇଛି ।