ସାଧରଣତଃ ଅନେକ ସମୟରେ ମନୁଷ୍ୟକୁ ଏପରି ପ୍ରତୀତ ହୋଇଥାଏ ଯେ ଜୀବନରେ ବିନା କାରଣରେ ଅନେକ ସମସ୍ୟା ଆସୁଛି । ଧନ ରୋଜଗାର ସତ୍ତ୍ୱେବି ଖୁବ ଅଧିକ ଖର୍ଚ୍ଚ ହୋଇଥାଏ । ଯାହାର କାରଣ ସେ ଜାଣିପାରେ ନାହିଁ । ତେବେ ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ ରଖା ଯାଇଥିବା ପ୍ରତ୍ୟେକ ଆସବାବପତ୍ରର ଏକ ସ୍ୱତନ୍ତ୍ର ଶକ୍ତି ରହିଥାଏ ଯାହା ମନୁଷ୍ୟର ଜୀବନ ଉପରେ ସକାରାତ୍ମକ ଏବଂ ନକରାତ୍ମକ ପ୍ରଭାବ ପକାଇ ଥାଏ । ତେଣୁ ଘରେ ଥିବା ସମସ୍ତ ଜିନିଷ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ।
ତେଣୁ ବାସ୍ତୁ ଶାସ୍ତ୍ରରେ ସବୁ ଜିନିଷକୁ ଠିକ ସ୍ଥାନରେ ରଖିବା ଏବଂ ଠିକ ଭାବରେ ବ୍ୟବହାର କରିବାର ନିୟମ ବିଷୟରେ ବର୍ଣ୍ଣନା କରାଯାଇଛି ଯାହାକୁ ପ୍ରତ୍ୟେକ ବ୍ୟକ୍ତିକୁ ମାନିବା ଉଚିତ । ସାଧରଣତଃ ମନୁଷ୍ୟ ବାହାରୁ କାମ କରି ଧାରଣ କରିଥିବା ପୋଷାକ ସହିତ ଅନେକ ନକରାତ୍ମକ ଶକ୍ତି ନେଇ ଆସିଥାଏ ଯାହାକୁ ଭୁଲ ସ୍ଥାନରେ ଘରେ ରଖି ପୁଣିଥରେ ଧାରଣ କରିବା ଦ୍ୱାରା ଶରୀର ଉପରେ ଏବଂ ଜୀବନ ଉପରେ ନକରାତ୍ମକ ପ୍ରଭାବ ପଡ଼ିଥାଏ ।
ପୋଷାକ ଦ୍ୱାରା ମନୁଷ୍ୟର ସ୍ଥିତି ଏବଂ ଅନେକ କିଛି ବିଷୟରେ ଜାଣିହୁଏ । ପୋଷାକ ଦ୍ୱାରା ମନୁଷ୍ୟର ଆର୍ଥିକ ସ୍ଥିତି , ମାନସିକ ସ୍ଥିତି ବିଷୟରେ ମଧ୍ୟ ଜଣା ପଡ଼ିଥାଏ । ଶାସ୍ତ୍ର ଅନୁଯାୟୀ ଫଟା ଏବଂ ମଇଳା ପୋଷାକ ମନୁଷ୍ୟର ଶୁକ୍ର ଗ୍ରହ ଉପରେ ପ୍ରଭାବ ପକାଇଥାଏ । ଯାହାର ସିଧାସଳଖ ପ୍ରଭାବ ମନୁଷ୍ୟର ଆର୍ଥିକ ସ୍ଥିତି ଉପରେ ପଡ଼ିଥାଏ । ପୋଷାକ ଦେଖି ମନୁଷ୍ୟର ବ୍ୟକ୍ତିତ୍ୱ ଏବଂ ଆଚରଣ ବିଷୟରେ ମଧ୍ୟ ଜାଣିହୁଏ । ତେଣୁ ସର୍ବଦା ପରିଷ୍କାର ପୋଷାକ ପିନ୍ଧିବା ଉଚିତ ।
ଛିଡ଼ା ଫଟା ପୋଷାକ ପିନ୍ଧିବା ଦ୍ୱାରା ମନ ଚଞ୍ଚଳ ଏବଂ ଅନେକ ପ୍ରକାରର ରୋଗର ଆଗମନ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଯେତେବେଳେ ଏକାଧିକ ସୂତାକୁ ମିଳିତ ଭାବରେ ନେଇ ଏକ କପଡ଼ା ବୁଣିବା ଆରମ୍ଭ କରାଯାଏ ସେତେବେଳେ ସେଥିରେ ବୁଧ ଗ୍ରହର ଆଧିପତ୍ୟ ରହିଥାଏ । ଯେତେବେଳେ ତାହା ଏକ ସମ୍ପୂର୍ଣ୍ଣ କପଡ଼ାରେ ପରିଣତ ହୋଇଯାଏ ସେଥିରେ ଶୁକ୍ର ଗ୍ରହର ଆଧିପତ୍ୟ ରହିଥାଏ । ଆଉ ଯେତେବେଳେ ସେହି କପଡ଼ାକୁ ପୋଷାକ ବନାଇବା ପାଇଁ ସିଲେଇ କରିବାକୁ କଇଁଚିରେ କଟାଯାଏ ସେତେବେଳେ କଇଁଚି ଅର୍ଥାତ ମଙ୍ଗଳର ଆଧିପତ୍ୟ ରହିଥାଏ ।
ପୋଷାକ ତିଆରି ହୋଇଯିବା ପରେ ସେଥିରେ ଶନିର ଆଧିପତ୍ୟ ରହିଥାଏ । ଚିରା ଫଟା ପୋଷାକ ସର୍ବଦା ବୁଧ ଶୁକ୍ର ଶନି ଦୋଷକୁ ଆମନ୍ତ୍ରିତ କରିଥାଏ । ଏହାବ୍ୟତୀତ ଚିରା ପୋଷାକ ପିନ୍ଧିବା ଦ୍ୱାରା ଶୁକ୍ର ଗ୍ରହ ଦୋଷ ଲାଗିଥାଏ । ଅପରିଷ୍କାର ପୋଷାକ ପିନ୍ଧିବା ଦ୍ୱାରା ସବୁ ଗ୍ରହ ଦୋଷ ଲାଗିଥାଏ । ଚିରା କପଡ଼ା ପିନ୍ଧିବା ଆଜିକାଲି ଏକ ଫ୍ୟାସନ ହୋଇ ଗଲାଣି । ମାତ୍ର ଆପଣ ତାହାକୁ କୌଣସି ମନ୍ଦିର କିମ୍ବା ଶୁଭ କାର୍ଯ୍ୟରେ ପିନ୍ଧନ୍ତୁ ନାହିଁ । ଶନିବାର ଦିନ ନୂଆ ପୋଷାକ ପିନ୍ଧିବା ଉଚିତ ନୁହେଁ ।
ବୁଧବାର ଗୁରୁବାର ଏବଂ ଶୁକ୍ରବାର ଦିନ ନୂଆ ପୋଷାକ ପିନ୍ଧିବା ଉଚିତ । ନୂଆ ପୋଷାକକୁ ଘର ବାହାରେ ଛାଡ଼ନ୍ତୁ ନାହିଁ କାରଣ ତାହାଦ୍ୱାରା ବାହାରେ ଘୁରି ବୁଲୁଥିବା ନକରାତ୍ମକତା ପ୍ରବେଶ କରିଥାଏ । ବାହାରୁ ଆସି ଧାରଣ କରିଥିବା ପୋଷାକକୁ ବାହାର କରି ଦକ୍ଷିଣ ଏବଂ ଦକ୍ଷିଣ ପୂର୍ବ ଦିଗରେ ଆଦୋୖ ରଖନ୍ତୁ ନାହିଁ ।
କାରଣ ଯେତେବେଳେ ଆପଣ ବାହାରକୁ ଯାଉଛନ୍ତି ଏବଂ ବାହାର ଲୋକଙ୍କ ସହ ମିଶୁଛନ୍ତି ସେତେବେଳେ ଆପଣଙ୍କ ଉପରେ ଲୋକଙ୍କ କୁଦୃଷ୍ଟି ପଡ଼ିପାରେ । କିମ୍ବା କୌଣସି ନକରାତ୍ମକ ସ୍ଥାନ ଦେଇ ଆସୁଥିଲେ ନକରାତ୍ମକତା ଆପଣଙ୍କ ପୋଷାକ ଦେଇ ଘରକୁ ଆସିଥାଏ । ତେଣୁ ଯଦି ଆପଣ ତାହାକୁ ଦକ୍ଷିଣ କିମ୍ବା ଦକ୍ଷିଣ ପୂର୍ବ ଦିଗରେ ରଖନ୍ତି ତେବେ ସେହି ନକରାତ୍ମକ ଶକ୍ତି ସକ୍ରିୟ ହୋଇଯାଏ ଏବଂ ପ୍ରଭାବ ପକାଇବା ଆରମ୍ଭ କରିଦିଏ । ଯାହାଦ୍ୱାରା ଘରେ କ୍ରୋଧ , କ୍ଳେଶ , ମାନସିକ ଦୁଶ୍ଚିନ୍ତା , ରୋଗ , ଅର୍ଥ ହାନୀ ଆଦି ସମସ୍ୟା ଦେଖା ଦେଇଥାଏ । ଏହାଦ୍ବାରା ରାହୁ ମଧ୍ୟ ଏହି ନକରାତ୍ମକ ଶକ୍ତିର ସଞ୍ଚାର ବଢ଼ାଇଥାଏ । ଯାହାଦ୍ୱାରା ଘରକୁ ଦୁଃଖ ଦାରିଦ୍ର୍ୟତା ଆସିଥାଏ ।
ତେଣୁ ମଇଳା ପୋଷାକକୁ ସର୍ବଦା ଉତ୍ତର କିମ୍ବା ପଶ୍ଚିମ ଦିଗରେ ରଖିବା ଉଚିତ ଯାହାଦ୍ୱାରା ଏଥିରୁ ବାହାରୁଥିବା ନକରାତ୍ମକ ଶକ୍ତିର ପ୍ରଭାବ ଆପଣଙ୍କ ଉପରେ ପଡ଼ିବ ନାହିଁ । ରାତିରେ କେବେବି ମଇଳା ପୋଷାକ ଧୋଇବା ଉଚିତ ନୁହେଁ କାରଣ ରାତିରେ ଏହା ଆକ୍ଟିଭ ହୋଇ ପୋଷାକ ସହ ଯୋଡ଼ି ହୋଇଥାଏ ଏବଂ ଯେତେବେଳେ ଆପଣ ତାହାକୁ ଧାରଣ କରନ୍ତି ଆପଣଙ୍କର ସବୁ କାମ ବିଗିଡ଼ିବାକୁ ଆରମ୍ଭ କରିଥାଏ । ପୋଷାକକୁ ଧୋଇ ସର୍ବଦା ସୂର୍ଯ୍ୟ କିରଣରେ ଶୁଖାଇବା ଉଚିତ । ସୂର୍ଯ୍ୟ କିରଣ ନକରାତ୍ମକତାକୁ ଅବଶୋଷିତ କରିଥାଏ । ତେଣୁ ଶାସ୍ତ୍ରରେ ପୋଷାକ ଧୋଇବା ପାଇଁ ସକାଳ କିମ୍ବା ଦ୍ୱିପ୍ରହରର ସମୟ ଉପଯୁକ୍ତ ବୋଲି କୁହାଯାଇଛି ।