ଶାରଦୀୟ ନବରାତ୍ରୀ ଆଶ୍ୱିନ ମାସ ଶୁକ୍ଳପକ୍ଷ ପ୍ରତିପଦରେ ଅନୁଷ୍ଠିତ ହୋଇଥାଏ । ତେଣୁ ଚଳିତ ବର୍ଷ ନବରାତ୍ରୀ ସେପ୍ଟେମ୍ବର ୨୬ ରୁ ଆରମ୍ଭ ହୋଇ ଅକ୍ଟୋବର ୫ ରେ ଶେଷ ହେବ । ତେବେ ଚଳିତ ବର୍ଷ ନବରାତ୍ରୀ ପୁରା ନଅ ଦିନ ପର୍ଯ୍ୟନ୍ତ ପାଳିତ ହେବ । ଏହି ବର୍ଷ ମାତା ଦୁର୍ଗା ହାତୀ ଉପରେ ବସି ବିରାଜମାନ କରିବେ , ଯାହାଦ୍ୱାରା ଘରେ ସୁଖ ସମୃଦ୍ଧି ପୁରିଯିବ । ଏହିଦିନ କଳସ ସ୍ଥାପନା ଶୁଭ ମୁହୂର୍ତ୍ତରେ କରିବା ଉଚିତ । ତେଣୁ ଚଳିତ ବର୍ଷ କଳସ ସ୍ଥାପନାର ଶୁଭ ମୁହୂର୍ତ୍ତ ହେଉଛି ୨୬ ତାରିଖ ସକାଳ ୬.୧୧ ରୁ ୭.୩୦ କିମ୍ବା ସନ୍ଧ୍ୟା ୯.୧୧ ରୁ ୧୦.୩୦ । କଳସ ସ୍ଥାପନା ପରେ ଅଖଣ୍ଡ ଜ୍ୟୋତି ପ୍ରଜ୍ଜ୍ୱଳନ କରନ୍ତୁ ।
ଏପରି କୁହାଯାଏ ଯେ କଳସ ସ୍ଥାପନା ପରେ ଅଖଣ୍ଡ ଜ୍ୟୋତି ଜଳାଇଲେ ମାତା ଦୁର୍ଗା ଆକର୍ଷିତ ହୋଇଥାନ୍ତି । ନବରାତ୍ରୀର ନଅ ଦିନ ପର୍ଯ୍ୟନ୍ତ ମାତା ଦୁର୍ଗା ମର୍ତ୍ତରେ ଭ୍ରମଣ କରନ୍ତି । କିଛି ଲୋକ ପୁରା ନଅ ଦିନ ବ୍ରତ ପାଳୁଥିବା ବେଳେ ଆଉ କିଛି ଲୋକ ପ୍ରଥମ ଦିନ ଏବଂ ଶେଷ ଦିନ ବ୍ରତ ପାଳିଥାନ୍ତି । ତେଣୁ ଶାସ୍ତ୍ର ଅନୁଯାୟୀ ଏହି ସମୟରେ ଘରକୁ କିଛି ଏପରି ଜିନିଷ ନେଇ ଆସିବା ଉଚିତ ଯାହାଦ୍ୱାରା ମାତା ଅଧିକ ପ୍ରସନ୍ନ ହୁଅନ୍ତି । ତେବେ ଚାଲନ୍ତୁ ଜାଣିନେବା ସେହି ଜିନିଷ ଗୁଡ଼ିକ ବିଷୟରେ । ଏଥିମଧ୍ୟରୁ କୌଣସି ଗୋଟିଏ ଜିନିଷ ଘରକୁ ଆଣିଲେ ମତାଙ୍କର ଅସୀମ କୃପା ପ୍ରାପ୍ତ ହୋଇଥାଏ ଏବଂ ଘର ଧନ ଧାନ୍ୟରେ ଭରିଯାଏ ଏବଂ ଦାରିଦ୍ର୍ୟତା ଦୂରେଇ ଯାଏ ।
୧ . ଷୋହଳ ଶୃଙ୍ଗାର :-
ନବରାତ୍ରୀ ପୂର୍ବରୁ ଷୋହଳ ଶୃଙ୍ଗାର ଘରକୁ ନେଇ ଆସିବା ଉଚିତ । ତାହା ମଧ୍ୟରେ ସିନ୍ଦୁର , ଚୁଡ଼ି , ଶଙ୍ଖା , ମଙ୍ଗଳସୁତ୍ର , ଚୁନି , ପାଉଁଜି ଇତ୍ୟାଦି ରହିଥାଏ । ତେବେ ନବରାତ୍ରୀରେ ପ୍ରଥମେ ଘରକୁ ପରିଷ୍କାର କରି ଏକ ଚୌକି ବସାଇ ତାହା ଉପରେ ନାଲି କିମ୍ବା ହଳଦିଆ କପଡ଼ା ବିଛାଇ ଦିଅନ୍ତୁ । ତାହା ଉପରେ ମାତା ଦୁର୍ଗାଙ୍କ ମୂର୍ତ୍ତି ସ୍ଥାପିତ କରନ୍ତୁ । ବର୍ତ୍ତମାନ ଷୋହଳ ଶୃଙ୍ଗାର ମାତାଙ୍କୁ ଟୀକା ଲଗାଇବା ପରେ ଅର୍ପିତ କରନ୍ତୁ । ଯଦି କୌଣସି ମହିଳା ନିଜେ ଷୋହଳ ଶୃଙ୍ଗାର କରି ମାତାଙ୍କୁ ତାହା ଅର୍ପିତ କରିଥାଏ ତେବେ ମାତା ଅଧିକ ପ୍ରସନ୍ନ ହୁଅନ୍ତି । ନବରାତ୍ରୀ ପରେ ତାହାକୁ କୌଣସି ବ୍ରାହ୍ମଣ ନାରୀକୁ ଦାନ କରି ଦିଅନ୍ତୁ କିମ୍ବା ନିଜେ ମଧ୍ୟ ତାହାକୁ ମାତାଙ୍କ ପ୍ରସାଦ ଭାବରେ ବ୍ୟବହାର କରି ପାରିବେ ।
୨ . ସୁନା କିମ୍ବା ଚାନ୍ଦି ମୁଦ୍ରା :-
ନବରାତ୍ରୀରେ ସୁନା କିମ୍ବା ଚାନ୍ଦିର ମୁଦ୍ରା ଆଣି ମାତାଙ୍କ ଚୌକି ଉପରେ ରଖି ଦିଅନ୍ତୁ । ନବରାତ୍ରୀ ପରେ ତାହାକୁ ନେଇ ଘରର ସିନ୍ଧୁକ କିମ୍ବା ଧନ ରଖାଯାଉଥିବ ସ୍ଥାନରେ ରଖି ଦିଅନ୍ତୁ । ଏହାଦ୍ବାରା ମାତା ଦୁର୍ଗାଙ୍କ ସହିତ ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୁଅନ୍ତି । ଏହାଦ୍ବାରା ଘରକୁ ଦାରିଦ୍ର୍ୟତା ଆସେ ନାହିଁ ।
୩ . ପଦ୍ମ ଫୁଲ :-
ମାତା ଲକ୍ଷ୍ମୀଙ୍କୁ ପଦ୍ମ ଫୁଲ ଅଧିକ ପସନ୍ଦ ଥାଏ । ସେଥିରେ ମାତା ଲକ୍ଷ୍ମୀ ବିରାଜମାନ କରିଥାନ୍ତି । ତେଣୁ ନବରାତ୍ରୀରେ ପଦ୍ମ ଫୁଲ ଆଣି ମାତା ଲକ୍ଷ୍ମୀଙ୍କୁ ଅର୍ପିତ କରି ନିଜର ମନସ୍କାମନା କୁହନ୍ତୁ । ଏହାଦ୍ବାରା ଆପଣଙ୍କର ସବୁ ମନସ୍କାମନା ପୂର୍ଣ୍ଣ ହେବା ସହିତ ଧନର ଅଭାବ ହେବ ନାହିଁ ।
୪ . ଦକ୍ଷିଣାବର୍ତ୍ତୀ ଶଙ୍ଖ :-
ଏହି ଶଙ୍ଖ ଅତ୍ୟନ୍ତ ପବିତ୍ର ହୋଇଥାଏ । ଯେଉଁ ଘରେ ପରିବାର ସଦସ୍ୟ ଏକାଠି ହୋଇ ଏହି ଶଙ୍ଖର ସ୍ଥାପନା କରିଥାନ୍ତି ସେହି ଘରେ କେବେ ଗୃହ କ୍ଳେଶ ଅଶାନ୍ତି କିମ୍ୱା ଅଭାବ ଦେଖା ଦିଏନାହିଁ । ଏହାଦ୍ବାରା ଧନ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂରେଇ ଯାଏ । ଏହାକୁ ଘରେ ରଖିବା ଦ୍ୱାରା ରୋଗ , ଦାରିଦ୍ର୍ୟତା ଏବଂ କ୍ଳେଶ ଦୂରେଇ ଯାଏ । ଏହାକୁ ନବରାତ୍ରୀରେ ସ୍ଥାପିତ କଲେ ମାତା ଦୁର୍ଗା ଏବଂ ମାତା ଲକ୍ଷ୍ମୀ ଘରେ ସ୍ଥାୟୀ ରୂପରେ ବାସ କରନ୍ତି ।
୫ . କଉଡ଼ି :-
ନବରାତ୍ରୀ ସମୟରେ ଘରକୁ ନିଶ୍ଚୟ କଉଡ଼ି ଆଣନ୍ତୁ । ଶାସ୍ତ୍ର ଅନୁଯାୟୀ ମାତା ଲକ୍ଷ୍ମୀ ସମୁଦ୍ରରୁ ଉତ୍ପତ୍ତି ହୋଇଛନ୍ତି ଏବଂ କଉଡ଼ି ମଧ୍ୟ ସମୁଦ୍ରରୁ ଉତ୍ପତ୍ତି ହୋଇଛି । ନବରାତ୍ରୀ ସମୟରେ ମାତାଙ୍କ ଚୌକି ପାଖରେ କଉଡ଼ି ନିଶ୍ଚୟ ରଖନ୍ତୁ । ଏହାଦ୍ବାରା ଘରେ ସକାରାତ୍ମକତା ରହିଥାଏ ।ମାତ୍ର ତାହାକୁ ହଳଦି ଲଗାଇ ରଖନ୍ତୁ । ମାତାଙ୍କ ସହିତ ସେହି କଉଡ଼ିକୁ ମଧ୍ୟ ନଅ ଦିନ ପର୍ଯ୍ୟନ୍ତ ପୂଜା କରନ୍ତୁ ।