ସନାତନ ଧର୍ମରେ ପୂର୍ଣ୍ଣିମା ତିଥିର ଅନେକ ଗୁରୁତ୍ୱ ରହିଛି । ତେବେ ବର୍ଷର ସବୁଠାରୁ ବଡ଼ ପୂର୍ଣ୍ଣିମା ହେଉଛି ଜ୍ୟେଷ୍ଠ ମାସର ପୂର୍ଣ୍ଣିମା ଯାହାକି ଚଳିତ ମାସ ଜୁନ ୧୪ ରେ ପଡ଼ୁଛି । ଏହି ତିଥିରେ ଭଗବାନ ଶିବଙ୍କ ପାଇଁ ଗଙ୍ଗା ଜଣ ନେଇ ଅମରନାଥ ଯାତ୍ରା କରାଯାଏ । ଏହି ଦିନ ବଟ ପୂର୍ଣ୍ଣିମାର ବ୍ରତ ମଧ୍ୟ କରାଯାଏ । ଯାହାକୁ ସ୍ୱାମୀଙ୍କ ଦୀର୍ଘ ଆୟୁ ଏବଂ ଦାମ୍ପତ୍ୟ ଜୀବନରେ ସୁଖ ଏବଂ ସନ୍ତାନ କାମନା ପାଇଁ ରଖାଯାଏ । ଏହିଦିନ ସ୍ନାନ ଏବଂ ଦାନର ବିଶେଷ ପରମ୍ପରା ରହିଛି । ଏହି ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ସତ୍ୟ ନାରାୟଣଙ୍କ ଗାଥା ଏବଂ ପୂଜା କରାଯାଏ । ଏହିଦିନ ହନୁମାନ ପ୍ରଭୁ ରାମଚନ୍ଦ୍ରଙ୍କ ସହିତ ପ୍ରଥମ ଥର ସାକ୍ଷାତ କରିଥିଲେ । ଏହି ଦିନ ଚନ୍ଦ୍ରମାଙ୍କୁ ପୂଜା କଲେ ଚନ୍ଦ୍ର ଦୋଷ ଦୂର ହୋଇଥାଏ ।
ଏହିଦିନ ମହିଳା ମାନେ ସାବିତ୍ରୀଙ୍କ ବ୍ୟତୀତ ବିଷ୍ଣୁ , ଯମ ଏବଂ ନାରଦଙ୍କ ପୂଜା ମଧ୍ୟ କରନ୍ତି । ଏପରି ବିଶ୍ୱାସ କରାଯାଏ ଯେ ଏହିଦିନ ବ୍ରତ ଏବଂ ପୂଜା କରୁଥିବା ମହିଳାଙ୍କୁ ଏକ ଉତ୍କୃଷ୍ଟ ବୈବାହିକ ଜୀବନ ଲାଭ ହୋଇଥାଏ । ଏହା ସହିତ ସ୍ୱାମୀଙ୍କ ଦିର୍ଘାୟୁ ଜୀବନର ଆଶୀର୍ବାଦ ମିଳିଥାଏ । ଚଳିତ ବର୍ଷ ଏହି ପୂର୍ଣ୍ଣିମାରେ ସକାଳ ୦୯.୪୦ ପର୍ଯ୍ୟନ୍ତ ସାଧ୍ୟ ଯୋଗ ଏବଂ ଏହାପରେ ଶୁଭ ଯୋଗ ଲାଗିଯିବ । ସକାଳ ୧୧.୫୪ ରୁ ଦ୍ୱିପ୍ରହର ୧୨.୩୯ ପର୍ଯ୍ୟନ୍ତ ଶୁଭ ସମୟ ରହିଛି । ଶାସ୍ତ୍ର ଅନୁସାରେ ପୂର୍ଣ୍ଣିମା ତିଥିର ପୂଜା ରାତ୍ରି ସମୟରେ କରାଯାଏ । ଏବଂ ରାତ୍ରି ସମୟରେ ଚନ୍ଦ୍ରମାଙ୍କ ପୂଜାର ବିଧାନ ରହିଛି । ତେବେ ଆଜିକାର ଏହି ଲେଖାରେ ଏହିଦିନ ହେଉଥିବା କିଛି ବିଶେଷ ପୂଜା ବିଷୟରେ କହିବୁ । ଯାହାଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ।
୧ . ତେବେ ଏହିଦିନ ସକାଳେ ସ୍ନାନ କରି ଯଦି ବ୍ୟକ୍ତି ଦାନ କରେ ତେବେ ଜୀବନରେ ଅନେକ ଲାଭ ମିଳିଥାଏ । ଏହାସହିତ ଯଦି ଏହିଦିନ ସକାଳ ସମୟରେ ଧଳା ବସ୍ତ୍ର ପରିଧାନ କରି ଭଗବାନ ଶିବଙ୍କର ପୂଜା ଏବଂ ଅଭିଷେକ କଲେ ବିବାହରେ ଆସୁଥିବା ବାଧା ଦୂର ହୋଇଯିବ ।

୨ . ଶାସ୍ତ୍ର ଅନୁସାରେ କୁହାଯାଏ ଯେ ଏହିଦିନ ଅଶ୍ୱତ୍ଥ ବୃକ୍ଷରେ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ । ତେଣୁ ଏହିଦିନ ସକାଳେ ସ୍ନାନ କରି ବୃକ୍ଷ ତଳେ ମିଠା ଚଢ଼ାଇ ଜଳ ଅର୍ପଣ କଲେ ମାତା ଲକ୍ଷ୍ମୀ ଖୁସି ହୁଅନ୍ତି ।
୩ . ଏହି ଦିନ ମାତା ଲକ୍ଷ୍ମୀ ଏବଂ ବିଷ୍ଣୁଙ୍କୁ ପ୍ରସନ୍ନ କରିବା ପାଇଁ ତୁଳସୀର ପୂଜନ ନିଶ୍ଚୟ କରନ୍ତୁ । ଏପରି କୁହାଯାଏ ଯେ ବିଷ୍ଣୁ ଏବଂ ଲକ୍ଷ୍ମୀଙ୍କର ତୁଳସୀ ଅତ୍ୟନ୍ତ ପ୍ରିୟ ହୋଇଥାଏ । ଏହାବ୍ୟତୀତ ଯେଉଁଠି ତୁଳସୀ ଥାଏ ସେଠାରେ ବ୍ରହ୍ମା , ବିଷ୍ଣୁ ଏବଂ ମହେଶ୍ୱରଙ୍କ ବାସ ହୋଇଥାଏ । ତେଣୁ ଘର ଅଗଣାରେ ମଧ୍ୟ ତୁଳସୀ ଗଛ ଲଗାଯାଏ । ଏହାବ୍ୟତୀତ ଆର୍ଥିକ ସମସ୍ୟା ଥିଲେ ପୂର୍ଣ୍ଣିମା ଦିନ ତୁଳସୀ ଗଛ ମୂଳରେ ଘିଅ ଦୀପ ଏବଂ ଧୂପ ପ୍ରଜ୍ଜ୍ୱଳନ କରାନ୍ତୁ । ଏହାଦ୍ବାରା ମାତା ଲକ୍ଷ୍ମୀ ସନ୍ତୁଷ୍ଟ ହେବେ ଏବଂ ଘରେ ଆର୍ଥିକ ସମସ୍ୟା ଦୂର ହୋଇଯିବ ।
୪ . ଏହିଦିନ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଏକ ପୁର୍ଣ୍ଣ କଉଡ଼ି ନିଅନ୍ତୁ ଏବଂ ତାହାକୁ ମୁଣ୍ଡରେ ଲଗାଇ ଏଗାର ଥର ଜୟ ମା ଲକ୍ଷ୍ମୀ କହି ଦୀପରେ ପକାଇ ଦିଅନ୍ତୁ । ଏହାପରେ ଲକ୍ଷ୍ମୀ , ବିଷ୍ଣୁ ଏବଂ ତୁଳସୀ ମାତାଙ୍କୁ ପ୍ରାର୍ଥନା କରନ୍ତୁ । ଏଥିରେ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହେବେ ଏବଂ ଆପଣଙ୍କ ଘରେ କେବେବି ଆର୍ଥିକ ସମସ୍ୟା ଦେଖା ଦେବ ନାହିଁ । ତେବେ ଏହି ପୂଜନ କାର୍ଯ୍ୟ ଶେଷ ହେବା ପରେ ଦୀପରେ ଥିବା କଉଡ଼ିକୁ ବାହାର କରନ୍ତୁ ଏବଂ ନିଜ ମୁଣ୍ଡରେ ଲଗାଇ ତୁଳସୀ ମୂଳରେ ଗାତ ଖୋଳି ପୋତି ଦିଅନ୍ତୁ । ଏହା ଧନ ପ୍ରାପ୍ତିର ଏକ ଭଲ ଉପାୟ ଅଟେ ।
