ଋଷ ୟୁକ୍ରେନ ଯୁଦ୍ଧ: ଭାରତକୁ ନିବେଦନ କରୁଛି ୟୁକ୍ରେନ, ଋଷକୁ ଅଟକାଅ, ନହେଲେ ହେବ ଖାଦ୍ୟାଭାବ:-

ୟୁକ୍ରେନ ଉପରେ ଋଷର ଆକ୍ରମଣର ରବିବାରକୁ 11 ଦିନ ହେଉଛି । ଉଭୟ ଦେଶ ମଧ୍ୟରେ ଯୁଦ୍ଧକୁ ଶେଷ କରିବା ପାଇଁ ହୋଇଥିବା ଦୁଇଟି ବାର୍ତ୍ତା ବିଫଳ ହୋଇଛି । ଯଦିଓ, ପଶ୍ଚିମ ଦେଶଗୁଡିକ ଋଷକୁ ଏକ ଶିକ୍ଷା ଦେବା ଲକ୍ଷ୍ୟରେ ଅନେକ ପ୍ରତିବନ୍ଧକ ଲଗାଇଛନ୍ତି, କିନ୍ତୁ ଏହା ସତ୍ତ୍ବେ ଋଷିଆ ଯୁଦ୍ଧରୁ ବିରତି ନେଉନାହିଁ । ୟୁକ୍ରେନକୁ ଟାର୍ଗେଟ କରୁଥିବା ଋଷ ଟ୍ୟାଙ୍କ ଏବଂ ମିଶାଇଲ ୟୁରୋପ, ଆଫ୍ରିକା ଏବଂ ଏସିଆରେ ସେହି ଲୋକମାନଙ୍କର ଖାଦ୍ୟ ଯୋଗାଣ ତଥା ଜୀବିକା ପ୍ରତି ବିପଦ ସୃଷ୍ଟି କରୁଛି, ଯେଉଁମାନେ “ବିଶ୍ଵର ରୁଟି ଟୋକେଇ” ଭାବରେ ଜଣାଶୁଣା କୃଷ୍ଣ ସାଗରର ବିସ୍ତୃତ ଉର୍ବର କୃଷି ଭୂମି ଉପରେ ନିର୍ଭର କରନ୍ତି ।

ଏହି ସମୟରେ ୟୁକ୍ରେନର ଵୈଦେଶିକ ମନ୍ତ୍ରୀ ଦିମିତ୍ରୋ କୁଲେବା ଭାରତ ସହିତ ଅନେକ ଦେଶକୁ ଋଷକୁ ୟୁକ୍ରେନ ଉପରେ ଆକ୍ରମଣ ବନ୍ଦ କରିବାକୁ ଅନୁରୋଧ କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ଯଦି ଏହି ପୂର୍ବ ୟୁରୋପୀୟ ଦେଶ ଉପରେ ଆକ୍ରମଣ ବନ୍ଦ ନହୁଏ ତେବେ ବିଶ୍ୱ ଖାଦ୍ୟ ସଙ୍କଟର ସମ୍ମୁଖୀନ ହୋଇପାରେ । ଏକ ଟେଲିଭିଜନ ସମ୍ବୋଧନ ସମୟରେ କୁଲେବା ଋଷ ଉପରେ ମାରିୟପୋଲ ଏବଂ ବୋଲନୋଭାକା ସହରରେ ଯୁଦ୍ଧ ବିରାମ ନୀତିର ଉଲ୍ଲଂଘନ କରିଥିବା ଅଭିଯୋଗ କରିଛନ୍ତି ଏବଂ ବିଦେଶୀ ଛାତ୍ରଙ୍କ ସହିତ ସାଧାରଣ ନାଗରିକଙ୍କୁ ସେଠାରୁ ବାହାର କରିବା ପାଇଁ କହିଛନ୍ତି ।

ସେ କହିଛନ୍ତି, “ଗତ 30 ବର୍ଷ ଧରି ଆଫ୍ରିକା ଏବଂ ଏସିଆର ଛାତ୍ରମାନଙ୍କ ପାଇଁ ୟୁକ୍ରେନ ଏକ ସ୍ୱାଗତଯୋଗ୍ୟ ଘର ଥିଲା…ସେମାନଙ୍କ ସୁବିଧା ପାଇଁ ଆମେ ଟ୍ରେନ୍ ବ୍ୟବସ୍ଥା କରିଛୁ, ହଟଲାଇନ କରିଛୁ ଏବଂ ବିଦେଶୀ ଦୂତାବାସ ସହିତ ନିରନ୍ତର କାର୍ଯ୍ୟ କରିଛୁ…। ୟୁକ୍ରେନ ସରକାର ସର୍ବଦା ବିଦେଶୀ ନାଗରିକ ଏବଂ ଛାତ୍ରମାନଙ୍କର ଭଲ କରିଆସୁଛନ୍ତି ।

ଋଷ ସହିତ ଭଲ ସମ୍ପର୍କ ରଖିଥିବା ଭାରତ ସହିତ ସମସ୍ତ ଦେଶକୁ କୁଲେବା କହିଛନ୍ତି ଯେ ସେମାନେ ଋଷର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କୁ ଆବେଦନ କରିପାରିବେ ଯେ ଏହି ଯୁଦ୍ଧ କାହାର ହିତ ପାଇଁ ନୁହେଁ । ସେ ଆହୁରି ମଧ୍ୟ କହିଛନ୍ତି, “ୟୁକ୍ରେନ କୃଷିଜାତ ଦ୍ରବ୍ୟର ଏକ ପ୍ରମୁଖ କେନ୍ଦ୍ର ଏବଂ ଭାରତ ଏହାର ସବୁଠାରୁ ବଡ ଉପଭୋକ୍ତାମାନଙ୍କ ମଧ୍ୟରେ ଅନ୍ୟତମ । ଯଦି ଏହି ଯୁଦ୍ଧ ଜାରି ରହେ, ତେବେ ଆମେ ନୂତନ ଫସଲ କରିପାରିବୁ ନାହିଁ । ତେଣୁ ବିଶ୍ଵ ତଥା ଭାରତ ପାଇଁ ଖାଦ୍ୟ ନିରାପତ୍ତା ଦୃଷ୍ଟିକୋଣରୁ ଏହି ଯୁଦ୍ଧ ବନ୍ଦ କରିବା ଅତ୍ୟନ୍ତ ଜରୁରୀ ଅଟେ ।

ୟୁକ୍ରେନର ଚାଷୀମାନଙ୍କୁ ନିଜ କ୍ଷେତ ଛାଡି ଯିବାକୁ ପଡିଛି, ଚାଷଜମିଗୁଡିକ ପରିତ୍ୟକ୍ତ ପଡ଼ିଛି, ଲକ୍ଷ ଲକ୍ଷ କୃଷକ ପଳାୟନ କରିଛନ୍ତି କିମ୍ବା ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି । ବନ୍ଦରଗୁଡିକ ବନ୍ଦ କରାଯାଇଛି ଯେଉଁଠାରୁ ବ୍ରେଡ୍, ନୁଡୁଲ୍ସ କିମ୍ବା ପଶୁ ଖାଦ୍ୟ ତିଆରି ପାଇଁ ପଠାଯାଏ ।

ବିଶ୍ଵର ଗହମ ଯୋଗାଣରେ ବାଧା ଆସିନଥିବା ବେଳେ ଆକ୍ରମଣ ପୂର୍ବରୁ ମୂଲ୍ୟର 55% ବୃଦ୍ଧି ପାଇଛି ଏବଂ ଚିନ୍ତା ରହିଛି ଯେ ପରବର୍ତ୍ତୀ ସମୟରେ କ’ଣ ହେବ । ଆନ୍ତର୍ଜାତୀୟ ଶସ୍ୟ ପରିଷଦର ନିର୍ଦ୍ଦେଶକ ଅର୍ଣ୍ଣାଡ ପେଟିଟ କହିଛନ୍ତି ଯେ ଯଦି ଯୁଦ୍ଧ ଲାଗି ରହେ ତେବେ ୟୁକ୍ରେନରୁ ଶସ୍ତା ଗହମ ଆମଦାନୀ ଉପରେ ନିର୍ଭର କରୁଥିବା ଦେଶଗୁଡ଼ିକ ଅଭାବର ସମ୍ମୁଖୀନ ହୋଇପାରନ୍ତି ।

ଏହା ଦ୍ବାରା ମିଶର ଏବଂ ଲେବନନ୍ ଭଳି ଦେଶରେ ଖାଦ୍ୟର ଅଭାବ ହୋଇପାରେ ଏବଂ ଏହା ଦାରିଦ୍ର୍ୟର କାରଣ ହୋଇପାରେ । ୟୁରୋପରେ, ଅଧିକାରୀ ୟୁକ୍ରେନରୁ ଉତ୍ପାଦର ଅଭାବ ଏବଂ ପଶୁଦାନା ମୂଲ୍ୟରେ ବୃଦ୍ଧି ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି, କାରଣ ଯଦି ଚାଷୀମାନେ ଉପଭୋକ୍ତାମାନଙ୍କୁ ଖର୍ଚ୍ଚ ଦିଅନ୍ତି ତେବେ ମାଂସ ଏବଂ ଦୁଗ୍ଧଜାତ ଦ୍ରବ୍ୟ ମହଙ୍ଗା ହୋଇପାରେ ।

ସମ୍ପୂର୍ଣ୍ଣ ବିଶ୍ୱରେ ଗହମ ଏବଂ ଯଅର ଏକ ତୃତୀୟାଂଶ ରପ୍ତାନିରେ ଋଷ ଏବଂ ୟୁକ୍ରେନ ମୂଖ୍ୟ ଭୂମିକା ଗ୍ରହଣ କରନ୍ତି । ୟୁକ୍ରେନ ମକା ଏବଂ ସୂର୍ଯ୍ୟମୁଖୀ ତେଲ ଉତ୍ପାଦନରେ ଅଗ୍ରଣୀ । ଏହି ଯୁଦ୍ଧ ସମୟରେ ଖାଦ୍ୟ ଯୋଗାଣ ସେହି ସମୟରେ ବନ୍ଦ ହୋଇଯାଇପାରେ ଯେତେବେଳେ କି ଖାଦ୍ୟର ଦର 2011 ମସିହା ପରଠାରୁ ସର୍ବୋଚ୍ଚ ସ୍ତରରେ ଥିବ ।

Leave a Reply

Your email address will not be published. Required fields are marked *